iskcon white logo

ISKCON Bhubaneswar

pusya-abhishek

ଶ୍ରୀକୃଷ୍ଣ ବଳରାମ ପୁଷ୍ପ ଅଭିଷେକ |

ଆସନ୍ତା ୧୩ ଜାନୁଆରୀ ୨୦୨୫ (ସୋମବାର) ଦିନ ଇସ୍କନ୍ ଭୁବନେଶ୍ୱର ସମସ୍ତ ଭକ୍ତମାନଙ୍କୁ ଶ୍ରୀ ଶ୍ରୀ କୃଷ୍ଣ-ବଳରାମଙ୍କ ପ୍ରୀତ୍ୟାର୍ଥେ ପୁଷ୍ୟ ଅଭିଷେକ ଉତ୍ସବ ପାଳନ ନିମନ୍ତେ ଆମନ୍ତ୍ରଣ କରୁଅଛି।

ପୁଷ୍ୟ ଅଭିଷେକ ଏକ ପବିତ୍ର ଉତ୍ସବ। ଏହି ଉତ୍ସବରେ ଶ୍ରୀବିଗ୍ରହଙ୍କୁ ବିଭିନ୍ନ ପ୍ରକାରର ପୁଷ୍ପ ପରିଧାନ ପୂର୍ବକ ଅର୍ଚ୍ଚନ କରାଯାଇଥାଏ।

ଶ୍ରୀକୃଷ୍ଣ ପୁଷ୍ୟ ଅଭିଷେକ ସମ୍ଵନ୍ଧରେ ଶ୍ରୀଲ ପ୍ରଭୁପାଦ ନିମ୍ନମତେ ବ୍ୟାଖ୍ୟା କରିଛନ୍ତି: "ଶ୍ରୀକୃଷ୍ଣ ଗୋପୀମାନଙ୍କ ହସ୍ତର କ୍ରୀଡନକ ସଦୃଶ ଥିଲେ। ଏକଦା ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସଜାଇବା ନିମନ୍ତେ ସ୍ଥିର କରିଥିଲେ। "ପୁଷ୍ୟ ଅଭିଷେକ ଅର୍ଥ ପୁଷ୍ପ, ଅଳଙ୍କାର, ବସ୍ତ୍ର ଆଦି ସହିତ ଶ୍ରୀବିଗ୍ରହଙ୍କୁ ସୁନ୍ଦର ତଥା ବିଳାସମୟ ଭାବେ ସଜାଇବା। ତତ୍ପରେ ଆଡମ୍ବରପୂର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରିବା ସହ ଏକ ଶୋଭାଯାତ୍ରାର ମଧ୍ୟ ଆୟୋଜନ ହେବା ଉଚିତ୍, ଯଦ୍ଦ୍ୱାରା ଶ୍ରୀକୃଷ୍ଣଙ୍କର ପରମ କମନୀୟ ରୂପ ମାଧୁରୀକୁ ଜନ ସାଧାରଣ ଦର୍ଶନ କରିପାରିବେ।"

ଆଧ୍ୟାତ୍ମିକ ଜଗତରେ ଗୋପୀମାନେ ଶ୍ରୀକୃଷ୍ଣ ଏବଂ ପ୍ରଭୁ ବଳରାମଙ୍କୁ ପକ୍ଷୀର ପର, ଫଳ, ପତ୍ର ଏବଂ ପୁଷ୍ପରେ ସଜାଇଥାନ୍ତି। ପ୍ରତିଦିନ ମଧ୍ୟାହ୍ନ ପୂର୍ବରୁ ଶ୍ରୀମତୀ ରାଧାରାଣୀ କୁସୁମ ସରୋବର ନିକଟସ୍ଥ ପୁଷ୍ପବନରେ ଥିବା ଅନେକ ବଗିଚା ମଧ୍ୟରୁ ମନୋରମ, ସୁଗନ୍ଧିତ ପୁଷ୍ପ ସଂଗ୍ରହ ପୂର୍ବକ ଆକର୍ଷଣୀୟ ପୁଷ୍ପମାଲ୍ୟ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ରାଧାକୁଣ୍ଡରେ ସାକ୍ଷାତ୍ ସମୟରେ ଅର୍ପଣ କରିଥାନ୍ତି।

ଏହି ସମସ୍ତ ଲୀଳା ଆଧ୍ୟାତ୍ମିକ ଜଗତର ନିତ୍ୟ ଲୀଳା। ଏହି ଉତ୍ସବମାନ ପାଳନ କରିବା ଦ୍ଵାରା ଆମ୍ଭେ ଭଗବାନଙ୍କର ପ୍ରତ୍ୟେକ୍ଷ ସେବାରେ ନିୟୋଜିତ ହୋଇପାରିବା। ଏହି ଉତ୍ସବମାନ ଆମ୍ଭ ମଧ୍ୟରେ ବୃନ୍ଦାବନର ଭାବ ଉଦ୍ରେକ କରିଥାଏ।

ସମଗ୍ର ବିଶ୍ୱରେ ଇସ୍କନ୍ ମନ୍ଦିରମାନଙ୍କରେ ଏହି ପୁଷ୍ୟାଭିଷେକରେ ଭବ୍ୟ ମହୋତ୍ସବର ଆୟୋଜନ କରାଯାଏ। ଏହି ଉତ୍ସବକୁ ଭକ୍ତମାନେ ସାଧାରଣତଃ ଏହି ପ୍ରକାରରେ ପାଳନ କରିଥାଆନ୍ତି:

୧. ପ୍ରାର୍ଥନା କରିବା ସହ ମହାମନ୍ତ୍ର ଜପ କରନ୍ତି।

୨. ଶ୍ରୀବିଗ୍ରହଙ୍କୁ ପୁଷ୍ପ ଏବଂ ଅଳଙ୍କାର ସହିତ ସୁସଜ୍ଜିତ କରନ୍ତି।

୩. ପୁଷ୍ପ ପାଖୁଡ଼ାରେ ଶ୍ରୀବିଗ୍ରହଙ୍କର ଆରତି ଏବଂ ଅଭିଷେକ କରନ୍ତି।

୪. ଭଜନ ଏବଂ କୀର୍ତ୍ତନ କରିଥାନ୍ତି।

ସାରାଂଶ ଏହି ଯେ, ପୁଷ୍ୟ ଅଭିଷେକ ଏକ ଆନନ୍ଦଦାୟକ ତଥା ଉତ୍ସାହଜନକ ଉତ୍ସବ ଯାହା ଭକ୍ତମାନଙ୍କୁ ଭଗବାନଙ୍କର ନିକଟତର କରିବା ସଙ୍ଗେ ସଙ୍ଗେ ସମ୍ପ୍ରଦାୟର ମର୍ଯ୍ୟାଦା ଏବଂ ଆଧ୍ୟାତ୍ମିକ ପ୍ରଗତିକୁ ତ୍ୱରାନ୍ୱିତ କରିଥାଏ।